ସାଧାରଣତଃ ବିଶେଷ
ମୁହୁର୍ତ୍ତ ବର୍ଣ୍ଣନାରେ ପର୍ବ ଶବ୍ଦ ବ୍ୟବହୃତ ହୁଏ । ପର୍ବ ବ୍ୟକ୍ତିଗତ ଜୀବନଚର୍ଯ୍ୟା
ବ୍ୟତିରେକେ ପାରିବାରିକ ତଥା ସାମାଜିକ ଦୈନନ୍ଦିନ ଜୀବନ ପୃଷ୍ଠପୋଷକତାର ମୂଳଦୁଆ ବୋଲି
କୁହାଯାଉଥିବା ସ୍ଥଳେ ସମାନ ଲୋକମାନଙ୍କର ଏକ ସାମୂହିକ ସମାବେଶ ନିମନ୍ତେ ଏହା ସୃଷ୍ଟ ।
ସାରାଂଶରେ ଏହା ସାମାଜିକ ସଂସ୍କୃତି ପ୍ରଦର୍ଶନ କରୁଥିବା ଲୋକମାନଙ୍କୁ ଏକତ୍ରିତ ତଥା ସେମାନଙ୍କର
ପ୍ରତିସ୍ପର୍ଦ୍ଧା ପ୍ରତି ଦୃଷ୍ଟି ଆକର୍ଷଣ ଏହାର ମୂଳ ଉଦ୍ଦେଶ୍ୟ ।
ଗୌରବମୟ ଐତିହ୍ୟ
ସଂସ୍କୃତି ଏବଂ ପରମ୍ପରାକୁ ପାଳନ କରିବା ପାଇଁ ପର୍ବଗୁଡ଼ିକ ଏକ ଭାବପ୍ରବଣ ଉପାୟ ଭାବେ ବିବେଚନା
କରାଯାଉଥିବା ସ୍ଥଳେ ମୁଖ୍ୟତଃ ପ୍ରିୟଜନମାନଙ୍କ ସହିତ ଜୀବନରେ ବିଶେଷ ମୁହୂର୍ତ୍ତ ଏବଂ ଭାବନାକୁ
ଆନନ୍ଦିତ କରିବା ପାଇଁ ଏହା ଉଦ୍ଦିଷ୍ଟ । ଏହା ବ୍ୟତିରେକେ ସାମାଜିକ ଜୀବନରେ ଗଠନ ଯୋଡ଼ିବା ଏବଂ
ପରିବାର ତଥା ପୃଷ୍ଠଭୂମି ସହିତ ଆମକୁ ଯୋଡିବା ପାଇଁ ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏକ
ପକ୍ଷରେ ଜୀବନର ଗୁରୁତ୍ୱପୂର୍ଣ୍ଣ ଜିନିଷ ଏବଂ ମୁହୂର୍ତ୍ତଗୁଡ଼ିକୁ ଏହି ଅବସରରେ ମନେ ରଖିବା
ପାଇଁ ପ୍ରେରଣା ଦାୟକ ହେବା ସ୍ଥଳେ ଅନ୍ୟପକ୍ଷରେ
କିମ୍ୱଦନ୍ତୀ, ଜ୍ଞାନ ଏବଂ ପରମ୍ପରାକୁ ପରବର୍ତ୍ତୀ ପିଢ଼ିକୁ ସ୍ଥାନାନ୍ତର ନିମନ୍ତେ ସହାୟକ । ସମସ୍ତ ପର୍ବରେ ସାଂସ୍କୃତିକ ଆଭିମୁଖ୍ୟ
ପ୍ରଦର୍ଶିତ ହେଉଥିଲେହେଁ ଜାତୀୟ, ଧାର୍ମିକ ତଥା ଆଞ୍ଚଳିକ ବର୍ଗୀକରଣ ଆଦି ରହିଥିବା ସତ୍ତ୍ୱେ
ଜୀବନର ସୁଖ, ସେବା ଏବଂ ସାମ୍ପ୍ରଦାୟିକ ଭାବନାକୁ ଦୃଢ଼ିଭୂତ ଏହାର ମୁଖ୍ୟ ଉଦ୍ଦେଶ୍ୟ ।
ପ୍ରାୟତଃ ଏକ ସମ୍ପ୍ରଦାୟ ପର୍ବପର୍ବାଣୀ ପାଳନ ଅବସରରେ
କିଛି ଚରିତ୍ରଗତ ଦିଗ, ଧର୍ମ ଏବଂ ସଂସ୍କୃତି ଉପରେ ଧ୍ୟାନ ଦେଇଥାଏ
କିନ୍ତୁ ଜଗତୀକରଣ ପ୍ରଭାବ ହେତୁ ଉଚ୍ଚ ସଂସ୍କୃତି ଓ ନିମ୍ନ ସଂସ୍କୃତିର ପାରସ୍ପରିକ ସମ୍ପର୍କ
ମଧ୍ୟରେ ଅସ୍ଵାଭାବିକାତା ଦେଖାଦେଇନଥାଏ । ସାମାଜିକ ଜୀବନଶୈଳୀରେ ଧର୍ମ ଏବଂ ଅନ୍ୟାନ୍ୟ
ବିକାଶମୁଖୀ ଚିନ୍ତାଧାରା ସମେତ କୃଷି କ୍ଷେତ୍ର ମଧ୍ୟ ଅଙ୍ଗାଙ୍ଗୀ ଭାବେ ଜଡିତ, ତେଣୁ ଧାର୍ମିକ
ତଥା ପାରମ୍ପରିକ ନୀତି ନିତି ଅନୁଯାୟୀ କୃଷିଭିତ୍ତିକ କାର୍ଯ୍ୟସୂଚୀ ଅନେକ ପର୍ବପର୍ବାଣୀ ଆୟୋଜନ
ନିମନ୍ତେ ମୂଳଦୁଆ ସାବ୍ୟସ୍ତ । ସାମୂହିକ ପର୍ବପର୍ବାଣୀରେ ସାଂସ୍କୃତିକ ଆଭିମୁଖ୍ୟ ପରିବର୍ତ୍ତେ
ସାମାଜିକ ଏବଂ ରାଜନୈତିକ ପ୍ରସଙ୍ଗରେ ବ୍ୟକ୍ତିଗତ
ମତପ୍ରକାଶର ମଞ୍ଚ ରୂପେ ରୂପାନ୍ତରିତ । ଫଳସୂରୁପ ପରିବର୍ତ୍ତନକୁ ପ୍ରୋତ୍ସାହିତ କରୁଥିବା ତଥା
ଆଧୁନିକୀକରଣ ଏବଂ ଜଗତୀକରଣ ସାମ୍ନାରେ ପାରମ୍ପାରିକ ଏବଂ ସ୍ଥାନୀୟ ସଂସ୍କୃତି ପ୍ରତି
ପ୍ରଶ୍ନବାଚୀ ।
ସ୍ମୃତି ତଥା ଦେବାଦେବୀଙ୍କୁ ଧନ୍ୟବାଦ ଦେବା ଅନ୍ତରାଳେ
ପର୍ବପର୍ବାଣୀ ସାମ୍ପ୍ରଦାୟିକ ଉଦ୍ଦେଶ୍ୟ ଏବଂ ମନୋରଞ୍ଜନ ଆଧାରିତ ହୋଇଥାଏ । ମନୋରଞ୍ଜନ
ଉତ୍ପାଦଗୁଡ଼ିକର ଆଗମନ ପୂର୍ବରୁ ସ୍ଥାନୀୟ ସମ୍ପ୍ରଦାୟ ପାଇଁ ଏହାହିଁ ବିଶେଷ ଗୁରୁତ୍ୱ ବହନ
କରୁଥିବା ସ୍ଥଳେ ସାଂସ୍କୃତିକ କିମ୍ୱା ଜାତିଗତ ବିଷୟ ଉପରେ ଧ୍ୟାନ ଦେଉଥିବା ଉତ୍ସବଗୁଡ଼ିକ ମଧ୍ୟ
ପରମ୍ପରା ବିଷୟରେ ସମ୍ପ୍ରଦାୟର ସଦସ୍ୟମାନଙ୍କୁ ଜଣାଇଥାନ୍ତି । ଏଦିଗରେ କାହାଣୀ ଏବଂ ଅଭିଜ୍ଞତା
ବାଣ୍ଟୁଥିବା ବୃଦ୍ଧ-ବୟସ୍କଙ୍କ ଯୋଗଦାନ ପରିବାର ମଧ୍ୟରେ ଏକତା ଉଦ୍ୟମ ସକାଶେ ସୁସ୍ପଷ୍ଟ ।
ମୁଖ୍ୟତ, ପ୍ରେମ, ସହନଶୀଳତା ଏବଂ ଉତ୍ତମ ବୁଝାମଣା ସମ୍ବନ୍ଧୀୟ
ବିଭିନ୍ନ ବାର୍ତ୍ତା ମାଧ୍ୟମରେ ଧାର୍ମିକ ପର୍ବଗୁଡ଼ିକ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ
ପାରିବାରିକ ସ୍ଥିତି ସୁଦୃଢ କରୁଥିବା ସ୍ଥଳେ ଋତୁ ପର୍ବଗୁଡ଼ିକ ପ୍ରକୃତି ପ୍ରତି ଲୋକଙ୍କ
ମନୋଭାବର ମୌଳିକତା ଦର୍ଶାଏ । ପ୍ରାକ ଐତିହାସିକ କାଳରେ ପ୍ରାଚୀନ ଗ୍ରୀସ୍
ଏବଂ ରୋମରେ, ଶନିର୍ନିଆ ଭଳି ପର୍ବ ସାମାଜିକ ସଂଗଠନ ତଥା ରାଜନୈତିକ ପ୍ରକ୍ରିୟା ଏବଂ ଧର୍ମ ସହିତ
ଘନିଷ୍ଠ ଭାବରେ ଜଡିତ ରହିଥିବା ସ୍ଥଳେ ଭାରତ ଏକ ଅତ୍ୟଧିକ ଆଧ୍ୟାତ୍ମିକ ଦେଶ ହୋଇଥିବାରୁ ବୈଦିକ
କାଳରୁ ପର୍ବଗୁଡ଼ିକ
ପ୍ରତି ଏଠାକାର ଲୋକଙ୍କ ଜୀବନରେ ପ୍ରାଧାନ୍ୟ ରହିଆସିଛି । ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ
ବର୍ଷସାରା ଆୟୋଜିତ ହେଉଥିବା ଅନେକ ପର୍ବ ଭାରତୀୟ ସଂସ୍କୃତିକୁ ସର୍ବୋତ୍ତମ ଭାବେ ଦେଖିବାର ଏକ
ନିଆରା ଉପାୟ ପ୍ରଦାନ କରିଥାଏ । ଆମର ପୁରୁଣା ପରମ୍ପରା ଦେଶକୁ ବିଭିନ୍ନ ପର୍ବ ଏବଂ ମେଳା ସହିତ
ଉପହାର ଦେଇଥିବା ସ୍ଥଳେ ଆଧୁନିକ ଯୁଗରେ, ଅନେକ ପର୍ଯ୍ୟଟକ ଭାରତକୁ ଆସି ସେହି ଉତ୍ସବଗୁଡ଼ିକ
ଉପଭୋଗ କରୁଥିବା ତତ୍କାଳୀନ ସାଂସ୍କୃତିକ ପରମ୍ପରା ପ୍ରତି ସମ୍ମାନ ପ୍ରଦର୍ଶନ । ଭାରତୀୟମାନେ ହଳ
କରିବା ଦିନ, ଅମଳ
ଦିନ, ଋତୁ
ପରିବର୍ତ୍ତନ ତଥା ଏଭଳି ଅନେକ ମୁହୂର୍ତ୍ତ ପାଳନ କରୁଥିବା ହେତୁ ପୂର୍ବେ ଦେଶର କୋଣ-ଅନୁ କୋଣରେ ବର୍ଷରେ
୩୬୫ ଦିନ
ପାଇଁ କିଛିନାଁ କିଛି ବିଶେଷ ପର୍ବ ପାଳନର ଅବକାଶ ସୃଷ୍ଟି ହେଉଥାଏ । ତଥାପି, ବର୍ତ୍ତମାନ ଆମର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ
ସହିତ, ଆମେ
ଗୋଟିଏ ବର୍ଷରେ ହାରାହାରି ପ୍ରାୟ ୮ ରୁ ୧୦ ଗୋଟି ସାମୂହିକ ପର୍ବ ପାଳନ କରୁଥିବା ଦେଖିବାକୁ
ମିଳେ ।
ଏକ ପକ୍ଷରେ
ବିଭିନ୍ନ ଭୌଗଳିକ ସ୍ଥିତାବସ୍ଥାକୁ ନେଇ ଭାରତରେ ବିଭିନ୍ନ ପ୍ରକାରର ଉତ୍ସବ ପାଳିତ
ହୋଉଥିବାବେଳେ ଅନ୍ୟପକ୍ଷେ ଦେଶର ବିବିଧତା ହେତୁ ଆମର ବିଭିନ୍ନ ପ୍ରକାରର ସଂସ୍କୃତି ଏବଂ
ପରମ୍ପରା ଗୋଟିଏ ଅନ୍ୟଟି ପ୍ରତି ଅନୁପୂରକ । ଭାରତର ସମୃଦ୍ଧ ଏବଂ ଚିତ୍ତାକର୍ଷକ ପର୍ବ ଆମର
ବିବିଧ ପରମ୍ପରା ଏବଂ ସଂସ୍କୃତିର ସାକ୍ଷୀ । ଭାରତରେ ପର୍ବଗୁଡ଼ିକ ଭଗବାନଙ୍କ ଜନ୍ମଦିନ,
ପାରମ୍ପରିକ ପୁରାଣ, ଋତୁ ପରିବର୍ତ୍ତନ, ସମ୍ପର୍କ ଏବଂ ଅନେକ ବିଷୟକୁ ନେଇ ଗଠିତ ଯାହା ଧର୍ମ
କିମ୍ୱା ଜାତି ନିର୍ବିଶେଷରେ ପର୍ବ ପାଳନ .ଅବସରରେ ଲୋକଙ୍କୁ ନିକଟତର ଏବଂ ମାନବିକତାର ଏକ ଦୃଢ଼
ବନ୍ଧନ ସୃଷ୍ଟି କରିଥାଏ ।
ପର୍ବପର୍ବାଣୀଗୁଡ଼ିକ କେବେ, କେଉଁଠାରେ, କେଉଁମାନଙ୍କ
ଦ୍ୱାରା କିପରି ସୃଷ୍ଟ ତାହା ଆଲୋଚନା କରିବାବେଳେ ବିଶ୍ୱ ବ୍ରହ୍ମାଣ୍ଡ, ଜୈବ ବିବିଧତା, ସାମାଜିକ
ବିବର୍ତ୍ତନ, ଯୋଗାଯୋଗ, ଭାଷା, ଲିପି, ଧର୍ମ, ସଂସ୍କୃତି, ବେଦ-ଶାସ୍ତ୍ର ଓ ମନ୍ତ୍ର-ତନ୍ତ୍ର ତଥା
ପୁରାଣ-ଉପନିବେଶ ଇତ୍ୟାଦି ଘଟଣାକ୍ରମଗୁଡ଼ିକ ବିସ୍ତାରିତଭାବେ ଅବଲୋକନ କରିବା ଗୁରୁତ୍ୱପୂର୍ଣ୍ଣ
ମନେହୁଏ ।