ମାର୍ଗଶିର ମାସ ଗୁରୁବାର ଦିନ ସୁକୁଟା ନନା ପାଖ ଗାଁ ତେଲେଙ୍ଗା ସାହିକୁ ଜେଜେମାନରେ ଯାଇ ଲକ୍ଷ୍ମୀପୁରାଣ ଶୁଣାଇବାର ଥିଲା । ଏଥିଲାଗି ସେ ମାଣ ବସା ପ୍ରଥମ ପାଳି ଗୁରୁବାର ପାହାନ୍ତାରେ ସଜବାଜ ହୋଇ ଘରୁ ବାହାରିଥିଲା, ହେଲେ ବାଟରେ ସାହୁ ନନାର ଚାହା ଦୋକାନ ଖୋଲାହୋଇଥିବା ଦେଖି, ମୁନ୍ଦାଏ ଚାହା ପିଇ ଆଗକୁ ବଢ଼ିବା ସକାଶେ ସେଠାରେ ଅଟକି ଗଲା । ସନିଆ ନନା ଆଗରୁ ସେଠାରେ ବସି ଚାହା ପିଉ ଥିଲା, ଅନେକ ଦିନ ପରେ ଦୁହେଁ ଦେଖାସାକ୍ଷାତ ହୋଇଥିବାରୁ ସେମାନଙ୍କ ମଧ୍ୟରେ କଥାଭାଷା ଆରମ୍ଭ ହୋଇଯାଇଥିଲା ।
ଏମାନଙ୍କର କଥାଭାଷା ସରିଛି କି ନାହିଁ, ଏକ ଅପରିଚିତ ଟୋକା ହାତରେ ଜଗାକାଳିଆଙ୍କ ମୂର୍ତ୍ତି, ଫୁଲ, ଚନ୍ଦନ ଆଦି ଧରି ଦୋକାନ ଭିତରକୁ ଆସିଥିଲା । ସାହୁ ନନା, ସୁକୁଟା ଆଉ ସନିଆ ମୁଣ୍ଡରେ ସେହି ଟୋକା ଚିତା ଚଇତନ ସାରି ସେମାନଙ୍କୁ ଦକ୍ଷିଣା ମାଗିଥିଲା । ସାହୁ ନନା ଓ ସନିଆ ଦୁହେଁ ଟଙ୍କା ଦିଟା ଲେଖା ଦେଇ ତାକୁ ସନ୍ତୁଷ୍ଟ କଲେ କିନ୍ତୁ ସୁକୁଟା ନନା ତା ସହିତ ବାକବିତଣ୍ଡାରେ ମାତିଲା । ଦେଖୁ ଦେଖୁ କଥାଟା ଜଘନ୍ୟ ହେବାରେ ଲାଗିଲା । ସେହି ଟୋକା ନିଜ କାନ୍ଦରେ ଝୁଲାଇଥିବା ମୁଣା ଭିତରୁ ଦୁଇଖଣ୍ଡ ସାବଳା ସୁକୁଆ କାଢ଼ି ବଳପୂର୍ବକ ସୁକୁଟା ବେକରେ ମାଳା କରି ପିନ୍ଧାଇବା ପାଇଁ ଉତ୍ୟକ୍ତ ହୁଅନ୍ତେ ବିଷୟଟି ଅଣାୟତ୍ତ ହେବା ଦେଖି ଆମେମାନେ ଏହା ଏକ ‘ଫ୍ରାଙ୍କ’ ସୁଟ ହେଉଥିବା କହି, କେମେରା ଆଡ଼କୁ ଦେଖି ହାତ ହଲାଇ ସୁକୁଟା ନନାକୁ ସବୁ କଥା ଦିହେ ବୁଝାଇଥିଲୁ, ତାପରେ ସାହୁ ବୁଡ଼ା ଦୋକାନରୁ ଗୁପ୍ତ କେମେରା ସ୍ଥାନାନ୍ତରିତ କରାଯାଇଥିଲା । ଏହା ଭିତରେ ସୁକୁଟା କେଉଁ ଛାଡ଼ିବା ଲୋକ ସେହି ଟୋକାର ଗାଲରେ କସି କରି ତିନି-ଚାରି ଚଟକଣି ଦେଇସାରିଥାଏ । ଟୋକ ଜଣକ ଆଉ କିଏ ନୁହଁ, ସନିଆର ଭଣଜା, ଏକ ୟୁଟ୍ୟୁବର ବୋଲି ପରିଚୟ ଦେଇ ସୁକୁଟାରା କ୍ରୋଧକୁ ଧିରେ ଧିରେ ଶାନ୍ତ କରାଯାଇଥିଲା ।
“ଏତା କ’ଣରେ ସନିଆ ? ଧର୍ମ-କର୍ମ ଆଦିକୁ ନେଇ ଏ’କି ପ୍ରକାର ଥଟ୍ଟା-ଗମାତରେ ? ତୋରି ଭଣଜା ହେଇଥିବାରୁ ସେ ରକ୍ଷା ପାଇଗଲା, ନହେଲେ ତାର ଦଶାହ କାର୍ଯ୍ୟ ମୁଁ ଆଜି ଏଠାରେ ସରାଇ ଦେଇଥାନ୍ତି ।” ବୋଲି ଅତି ଉତକ୍ଷିପ୍ତ ଭାବରେ ସନିଆକୁ ସୁକୁଟା ଶୁଣାଇବାରେ ଲାଗିଥିଲା ।
“ଶୁଣ ନନା, ଶୁଣ.. ଆଜିକାଲିକା ପିଲାମାନେ ଏହି ପ୍ରକାର ଆଶ୍ଚର୍ଯ୍ୟଜନକ ଅନୁଭୂତିଗୁଡ଼ିକର ଭିଡ଼ିଓ ସ୍ମୃତି ପ୍ରସ୍ତୁତ କରି ଇଣ୍ଟେରନେଟ ମାଧ୍ୟମରେ ବିଶ୍ୱର କୋଣ ଅନୁକୋଣର ଦର୍ଶକମାନଙ୍କ ପାଖରେ ପହଞ୍ଚାଇ ପାରି ଏକ ପ୍ରକାର ଜନ ଜାଗରଣ ତଥା ମନୋରଞ୍ଜନ ସୃଷ୍ଟି କରିପାରୁଥିବା ଦାବୀ କରିଥାନ୍ତି । ନନା, ତୁମେ ତ ସେହି ପୁରୁଣା କାଳିଆ ସୁଚିଟିପା ମୋବାଇଟିକୁ ଧରି ବୁଲୁଛ, ଏବେ ଦୁନିଆ କେଉଁଠାରୁ ଯାଇ କେଉଁଠାରେ ପହଞ୍ଚିଲାଣି, ତାର ଠୋସ ଖବର ତୁମ ପାଖରେ ନାହିଁ । ନହେଲେ ଏଥିରେ ସେପରି କିଛି ବିରକ୍ତ ହେବା ବିଷୟ ନାହିଁ ।”ବୋଲି ସନିଆ ସୁକୁଟାକୁ ବିଝାଇବାକୁ ଚେଷ୍ଟା କରିଥିଲା ।
“ହଁ.. ହଁ .. ତୁ ତୋର ଭଣଜାର ପଟିଆରେ ହିଁ କହିବୁ..., ସକାଳୁ ସକାଳୁ ତୁମ ଦୁହିଁକୁ ଆଉ କିଏ ମିଳିଲେ ନାହିଁ, ଶେଷରେ ତୁ ମୋତେ ତୋ ଭଣଜାର ଅପ୍ରତିକର କାର୍ଯ୍ୟ ପାଇଁ କିମିତି ମତାଇ ପାରିଲୁ କହିଲୁ ?” ପୁଣି ବିରକ୍ତ ହୋଇ ସୁକୁଟା ନନା ସନିଆକୁ ପଚାରିଥିଲା ।
“ନାହିଁ ନନା... ନାହିଁ.. ସେପରି କିଛି ନାହିଁ... ଶୁଣ କଥାଟା କ’ଣ ଆଗ ଶୁଣ... ତୁମ ଏଠାକୁ ଆସିବ ବୋଲି କ’ଣ ଆମେ ଆଗରୁ ଜାଣିଥିଲୁ କି ? ନାହିଁ ..ନା ? ଠିକ୍ ଏକ ସାଧାରଣ ଶିକାରୀ ରକମ ଆମେ ଏଠାରେ ଜାଲ ବିଛାଇ ଅପେକ୍ଷା କରିଥିଲୁ, ଆଉ ଏକ ଇଲିଶି ଜାଆଁଳ ରକମ ତୁମେ କୁଦ ମାରି ମାରି ଆସି ଆମ ଜାଲ ଭିତରେ ପଶିଥିଲ, ସେଥିରୁ ଯାହା ନିଷ୍କାସ ହୋଇଥିଲା ତାହା ସବୁ ତୁମେ ଜାଣ ।”
“ହଁ.. ନିଜେ ବଳିର ବକରା ସାଜିଥିଲେ, ତୁ ଜାଣି ପାରିଥାନ୍ତୁ ।” ସୁକୁଟା ପାଟିରୁ ଏହି ପ୍ରକାର ଅଭିମାନପୂର୍ଣ୍ଣ କଣ୍ଠସ୍ଵରରେ ଆପତ୍ତି ଟିକକ ଶୁଣି ସନିଆ ଟିକେ ଆଶ୍ଵସ୍ତିରେ ନିଶ୍ଵାସ ମାରିଥିଲା ।
“ମୁଁ ବଳିର ବକରା ବନିବା କଥା କହୁଛ ନା.. ହଁ ଶୁଣ ମୋ ସହିତ କିପରି କ’ଣ ହୋଇଥିଲା । ନନା ତୋର ତେଲେଙ୍ଗା ସାହିରେ ଜେଜେମାନ କରିବାର ଅଛି ପରା.. ? ଏବେତ ଏମିତିରେ ବହୁତ ଡେରି ହୋଇଗଲାଣି, ମୁଁ ସାଇକେଲ ଆଣିଛି ଚାଲ ତୁମକୁ ନେଇ ସେଠାରେ ଛାଡ଼ି ଦେବି, ଆଉ ବାଟରେ ମୋର ବଳିର ବକରା ଅଧ୍ୟାୟଟି ତୁମକୁ ଶୁଣାଇ ଦେବି ।” ଏପରି କହି ସନିଆ ନନା ତାର ଅଇଁଠା ଗିଲାସଟିକୁ ପାଣି ଡ଼ଙ୍ଗାରେ ଧୋଇ ସାହୁ ନନାର ହାତକୁ ବଢ଼େଇବା ଭିତରେ ସୁକୁଟା ନାନା ତାର ପାଞ୍ଚିରେ ଗୋଡ଼େଇ ରଖିଥିବା କରାଟରୁ ଦଶ ଟଙ୍କାଟିଏ କାଢ଼ି ସାହୁ ନନାକୁ ଧରାଇ ଦେଇଥିଲା । ସନିଆ, “ମୁଁ ଦେଉଛି ନାନା.. ମୁଁ ଦେଉଛି..” ବୋଲି କହୁଥାଏ କିନ୍ତୁ ସୁକୁଟା “ଚାଲେ... ଚାଲେ.. ହୋଇଗଲା..ତୁ ଆଉ କେବେ ଦେଇ ଦେବୁ” ବୋଲି କହି ସେହି ସ୍ଥାନ ଛାଡିଥିଲା । ଦୁହେଁ ସାହୁ ନନା ଦୋକାନ ବାହାରକୁ ଆସିଥିଲେ ।
ସୁକୁଟା ନନାକୁ ପଛ କେରିଅଲରେ ବସାଇ ସନିଆ ସାଇକେଲର ପେଡ଼ଲ ମଡ଼େଇବା ଆରମ୍ଭ କଲା । “ବୁଝିଲ ନନା.. ପ୍ରତି ଶୀତ ଋତୁ ଆସିଲେ ମୋ ତିନି ଭାଇ-ଭଉଣୀ ଯାକର ପିଲା ଦଳ କିଏ ଆଫ୍ରିକା ତ କିଏ ସାଇବେରିଆ ନହେଲେ ରୋମାନିଆ ଏଭଳି ବିଦେଶ ଯାଇ ଛୁଟି କଟାନ୍ତି ହେଲେ ଏବେ ଯେଉଁ କୋରନା ମହାମାରୀର ଚହଳ ପଡ଼ିଛି ସେଇଥି ଲାଗି ପୁରା ମାଙ୍କଡ଼ ଦଳ ତାଙ୍କ ବାପା-ମାଆ ସହିତ ଏକାଠି ଆସି ଦୀପାବଳୀରୁ ଏଠାରେ ହାଜର, ଏଇନେ ତ ମାଣ-ବସା ଗୁରୁବାର ପରବ ଚାଲିଛି, ଗୁରୁବାର ଶେଷ ପାଳିରେ ନୂଆ ଅରୁଆ ଖାଇ ଯିଏ ଯେଉଁ ଆଡ଼େ ଯିବେ ।
ତୁ’ତ ମୋ ବୋଉ କଥା ଜାଣିଛୁ, ପିଲାପୁଚିକା କହିଲେ ତାର କେତେ ସରଧା ସେମାନେ ସମସ୍ତେ ଏକାଠି ଆସୁଛନ୍ତି ବୋଲି ଶୁଣିବାରୁ ମୋତେ ଘରର ସବୁ ବଖରାଗୁଡ଼ିକ ଲିପାପୋଛାର ବନ୍ଦୋବସ୍ତ କରାଇବା ପାଇଁ ରଖେଇଥୁଅଇ ଦେଇ ନଥିଲା, ଭାଇମାନେ ଯାଇ ବିଦେଶରେ ଖଟିବା ଦିନୁ ତିନି-ଚାରିଟି ବଖରା ପଡ଼ିଆ ହୋଇ ରହିଲା, କାହାର ଛଣ ଛପର କତରା ହୋଇଯାଇଥିଲା ତ କାହାର କାନ୍ଥ ମାଟି ବତର ହୋଇ ଝାଟି ଦିଶୁଥିଲା । ବୋଉକୁ ସେ ବଖରାଗୁଡ଼ିକୁ ଦେଖାଇ କହିଲି “ଦେଖେ ବଉ, ଆଗେ ଗାଁର ମଠମନ୍ଦିର ସିନା ମୁଗୁନି ପଥରରେ ତୁଳା ହେଉଥିଲା, ଏବେ ଲୋକଙ୍କ ଗୋରୁଗାଈଙ୍କ ଖାଇବା ଡ଼ଙ୍ଗାରେ ବି ‘ଗ୍ରେଜଲିଙ୍ଗ ଟାଇଲ’ ସଟେଇ ଲେଣି । ସେଗୁଡିକ ଦେଖିବାକୁ ଭାରି ସୁନ୍ଦର ଆଉ ବର୍ଷକୁ ବର୍ଷ ଲିପାପୋଛା କରିବାର ଝିଞ୍ଜଟ ନାହିଁ । କିନ୍ତୁ ସେ କେଉଁ ଶୁଣିବା ଲୋକ କହିଲା, ପଥରରେ ପରା ଦିଅଁଙ୍କ ଆତ୍ମା ରହନ୍ତି, ଆମେ ତାକୁ ପୂଜାପାଠ କରୁଛେ । ମୁଁ ଜୀଇଁ ଥିଲା ଯାକ ସେପରି ପାପ କାମ ତୋତେ କରିବାକୁ ଦେବି ନାହିଁ, ମୋ ପଛନ୍ତେ ତୋ ମନକୁ ଯାହା ଆଇବ ପରେ କରିବୁ।”
ତୁ’ତ ଜାଣୁ ଆମ ଜେଜେବାପା-ଅଜାଙ୍କ ଅମଳରେ ଜମିରେ ଯେଉଁ ବାଇମୁଣ୍ଡା ଧାନ ଚାଷ ହେଉଥିଲା ସେଥିର ଛାତି ଉଚ୍ଚର ଛଣ ଅଭିକା ଆଉ ଖୋଜିଲେ ବି ମିଳିବନାହିଁ । ସେତେବେଳକାର ବାଇମୁଣ୍ଡା ଚାଉଳ, ଅଭିକା ଟଙ୍କାକିଆ ଚାଉଳ ଭଳି ସୁନ୍ଦର ନଦିଶି ମାଢିଆ ଦେଖାଗଲେ କଣ ହେଲା, ପାଞ୍ଚ ଭରଣର ବିଲରୁ ଯେଉଁ ଅମଳ ଆସୁଥିଲା, ସେଥିରେ ପରିବାର ପାଇଁ ବର୍ଷ ତମାମ ପଖାଳସୁଖିଲା ହାଣ୍ଡିକୁ ଯଥେଷ୍ଟ ହେଉଥିଲା । ପୁଣି ତାହାର ନଡ଼ାରେ ଘରର ପିଣ୍ଡଠାରୁ ବାରିମୁଣ୍ଡାଳି ପର୍ଯ୍ୟନ୍ତ ଛଣଛପର କରିବାରେ କେବେ ନିଅଣ୍ଟ ହେଉନଥିଲା । ବର୍ଷଟା ଯାକ ଗାଈଗୋରୁଙ୍କ ଖାଇବା ଡ଼ଙ୍ଗାରେ ପେଜ-ତୁରାଣି ବାଦ କୁଣ୍ଡା-ଅଗାଡ଼ି ଦେବା ପରେ ବି ଆହୁରି ବଳକା ରହୁଥିଲା । ଏହା ବାଦ ଧାନ ମଳାମଳି ହେବା ପରେ ଖଳାମୁଣ୍ଡାଳିରେ ଯେଉଁ ମସ୍ତବଡ଼ ପାଳଗଦା ଠିଆ ହେଉଥିଲା, ବର୍ଷସାରା ଗାଈଗୋରୁଙ୍କ ପାଖରେ ମଡ଼େଇବା ପରେ ବି ଚଉଁରା ମୂଳେ ଆକାଶ ଦୀପ ଲାଗିବା ଦିନୁ ଦେଉଳଚୂଳରେ ମହାଦୀପ ଚଢାଇବା ପର୍ଯ୍ୟନ୍ତ ପ୍ରତିଦିନ ସନ୍ଧ୍ୟା-ସକାଳେ ନିଆଁ ପୁଇଁବାରେ ତାହା ବ୍ୟବହାର ହୋଇପାରୁଥିଲା । ସେ ଯାହାହେଉ ଅଭିକା ହାତେ-ଚାଖଣ୍ଡର ଦୁବ-ଘାସ ସମାନ ଟାଇଚିନ ଧାନ କେଣ୍ଡାରୁ ପାଞ୍ଚ-ଛଅ ଶଗଡ଼ ନେଇ ଛାପର କାମ ଆରମ୍ଭ କରିଥିଲି ।
ଆଗେ ବଡ଼ବଡ଼ିଆଙ୍କ ଶ୍ରଦ୍ଧା କରିବା ଦିନ ପାଖେଇ ଆସିଲେ ଆଶ୍ଵିନ ମାସ ପସୁପସୁ ଘରଦ୍ଵାରର ଲିପାପୋଛା କରିବା ସକାଶେ ମୋ ବା ନଦୀ ପଢାକୁ ଯାଇ ଶଗଡରେ ଲୁଦୁରେ ହେବ ବାଲି ମାଟି ଛାଣିଛୁଣି ଆଣି ଦେଉଥିଲା ହେଲେ ଏବେ ବାଲି ମାଟି ଆଣିବା ପାଇଁ ନଦୀକୁ ଗଲେ ପାନୁ ବାନ୍ଧିବାକୁ ପଡୁଛି, ଗାଁ ପାଖ ଶଙ୍ଖ-ଗୁରିଜି ତଳକୁ ବର୍ଷା ପାଣିରେ ଯେଉଁ କାଦ-ବାଲି ଭାସି ଆସିଥିଲା ସେଥିରୁ ଦି-ତିନି ଶଗଡ଼ ହରିଜନ ସାହିରୁ କିଣି ଆଣିଥିଲି । ଆଗ ଆମ ଗୋରୁଗାଈଙ୍କ ଗୁହାଳରୁ ନିତି ଦିନ ଯେତକ ଗୋବର ବାହାରୁ ଥିଲା, ଚୁଲି-ଜାଳେଣି ପାଇଁ ଙ୍ଘସି ପକାଇବା ବାଦେ ଅକ୍ଷୟତୃତୀୟା ବେଳକୁ ବିଲରେ ସାର କରିବା ସକାଶେ ବାରିମୁଣ୍ଡାଳି ଖତଗଣାରୁ ଦୁଇ-ତିନି ଶଗଡ଼ର ଖତ-ମୂତ ବାହାରି ପାରୁଥିଲା, ଅକାଳେସକାଳେ ବିଲରେ ମୁଗ-ବିରି ଖନ୍ଦ ବେଳକୁ ହିଁ ଛେଳିମନ୍ଦା ବସାଇବାକୁ ପଡୁଥିଲା । ହେଲେ ଏବେ ଆମ ଶଙ୍କର ଜାତୀୟ ଗାଈଗୋରୁଗୁଡ଼ାକ ଦାନାରେ ଯେଉଁ ମକା-କୋଳଥ ଗଡ଼ି ଖାଆନ୍ତି ନା, ସେଗୁଡ଼ିକ ସବୁ ଗୋଟା ଗୋଟା କରି ଗୋବରରେ ବାହାର କରନ୍ତି, ତାକୁ ନେଇ ଯଦି ଘର ଲିପାପୋଛା କରି ଦେବନା, ତେବେ ସେଥିରୁ ଯେଉଁ ବିଷ୍ଠା ରକମ ଦୁର୍ଗନ୍ଧ ବାସେ, ସେଠାରେ ଆଉ ତମକୁ ଉଠାବସା କରିବା ଯୋଗ୍ୟ ରଖେନାହିଁ । ସେଇଥି ଲାଗି ଗୋଲା ସାହିକୁ ଯାଇ ପାଞ୍ଚ ପାଛିଆ ମଇଁଷି ଗୋବର ସକାଶେ ଗାଲାଆମାକୁ କୋଡ଼ିଏ ଟଙ୍କା ବହଣା ଦେଇଥିଲି ।
ଆଗଭଳିକା ଏବେ ଆଉ ଦାଣ୍ଡବାଡ଼ିରେ ତ ଧାନ ଖଣି ବସାଇବାକୁ ଜାଗା ନାହିଁ, ଯେଉଁ ଆଡ଼େ ଦେଖିବ ଖାଲି କଂକ୍ରିଟ୍ ଚଟାଣର ରାସ୍ତା, ତେଣୁ ଦୁଇ ପ୍ରାଣୀକୁ ଖାଲି ଘର ଦୁଆର ଆଟୁ-ଭାଡ଼ି ଆଦି ଲିପାପୋଛା କରୁକରୁ ହପ୍ତାଏ ଖଣ୍ଡେ ଲାଗିଯାଇଥିଲା । ଦେଖୁ ଦେଖୁ ବଡ଼ବଡ଼ିଆଙ୍କ ଡ଼ାଙ୍ଗଦେଖା ଅମବାସ୍ୟା ଆସି ପହଞ୍ଚିଥିଲା । ମୋ ବାହାଘର ହେବାର ବହୁ ଦିନ ପରେ ଯାଇ କୋରନା ମହାମାରୀ ଯୋଗୁଁ ଆମ ପୁରା କୁଟୁମ୍ୱ ପୁଣି ଏକାଠି ହେଲୁ ।
ପିଲାଗୁଡ଼ାକ ବହୁତ ଦିନ ପରେ ଆସିଥିବାରୁ ଗାଁର ଏମୁଣ୍ଡ ସେମୁଣ୍ଡ ହୋଇ ଦିନେ ଦୁଇ ଦିନ ହସଖୁସିରେ କଟାଇଥିଲେ ହେଲେ ଆମର ଯେଉଁ ଗାଁଟା ବଡ଼ ତାହା ତୁ’ତ ମୋଠାରୁ ଭଲରେ ଜାଣୁ, ସେଥିରେ ତାଲେଙ୍ଗା ସାହିର ଗୁଲା, ରେଡ଼ିକାଙ୍କୁ ଛାଡ଼ି ଦେଲେ ବାମୁଣ ଦୁଇ ସାହି, କାଳିଞ୍ଜି ଆଉ ମୁଣ୍ଡଳଙ୍କୁ ମିଶେଇ ତିନି ସାହି, ବାଢ଼େଇ, କୁମ୍ଭାର, ପାଟରା, ଧୋବା, ଭଣ୍ଡାରୀ, ମାଳି, ତେଲି, ଲୁରା, ବାଉରୀ, ଦଣ୍ଡାସି ଆଦିଙ୍କୁ ସବୁ ମିଶାଇଲେ ପ୍ରାୟ ଶହେ ଖଣ୍ଡେ ଘର ହେବ ପୁଣି ଅଧାରୁ ଅଧିକ ପରିବାର ଲୋକେ ସହରରେ ଯାଇ ଖଟି ଖାଇବାରୁ ସେମାନଙ୍କ ଘରଦୁଆର ପଡ଼ିଆ ପଡ଼ି ଭାଙ୍ଗିରୁଜି ଗଲାଣି । ଆଉ ଏବେ ଗାଁର ଚିତ୍ର ଏକ ରକମ ମେସପଟାମିଆ ସଭ୍ୟତା ଭଳି ଦିଶିଲାଣି । ତେଣୁ ଏଠାକାର ପରିବେଶରେ ବିରକ୍ତ ହୋଇ ଆମ ପିଲାଗୁଡ଼ାକ ସାଙ୍ଗରେ ନେଇ ଆସିଥିବା ଯେ ଯାହାର ମୋବାଇଲ, ଲେପଟପ ଆଦିରେ ଘାଣ୍ଟାଘାଣ୍ଟି କରି ସମୟ ବିତାଉଥାନ୍ତି ।
ଆମ ଗାଁ ପାଖ ସହର ମୁଣ୍ଡାଳିର ମୋବାଇଲ ଟାବାର କଥା ତୁ’ତ ଜାଣୁ, ଦିନକରେ ଅଧାରୁ ଅଧିକ ସମୟ ଫୋନ କଲା ବେଳେ କିଭଳି ନେଟୱାର୍କ ଧରେ ନାହିଁ । ଆମ ଗାଁ ସ୍କୁଲ ପିଲାଗୁଡ଼ିକ ହୋମ ୱାର୍କ କରିବା ସକାଶେ କେମିତି ହାତରେ ମାବାଇଲ ଆଉ ଖାତାକଲମ ଧରି ବାର ଦାଣ୍ଡ ତେର ପିଣ୍ଡା ଘୁରି ବୁଲନ୍ତି । ଏହାର ଫେରାଦ ଶୁଣିବାକୁ ସହର ଭଳି ଏଠାରେ କାହାର କିଏ ଅଛି ଯେ, ତାହାରି ପାଖକୁ ଯାଇ ନେଟୱାର୍କ ବିଷୟରେ କହିଲେ କିଏ କିଛି ଶୁଣିବ । ହେଲେ ଆମ ପିଲାମାନଙ୍କର ସୁଖିଲା ମୁହଁକୁ ଚାହିଁ ମନ ମୋର ମାନିଲା ନାହିଁ । ସେମାନଙ୍କୁ କିଭଳି ହସ ଖୁସିରେ ନିୟୋଜିତ କରିବି ସେହି ଚିନ୍ତା ମୋତେ ଘାରିଲା, ହଠାତ ମୋର ବିବାହ ସମୟର ଏକ ଘଟଣା ମନକୁ ଛୁଇଁଲା । ସେହି ରକମ ଅନେକ ଯୋଜନା ପାଞ୍ଚି ପିଲାମାନଙ୍କ ଗୋଷ୍ଠୀରେ ସାମିଲ ହୋଇଥିଲି ।
ମାଣ ବସା ପୂଜା ନିମନ୍ତେ ମୋ ବୋଉ ଯେଉଁ ସବୁ ଘର କାମ କରୁଥାଏ, ତାହାର ଭିଡ଼ିଓ ସୁଟ କରିବା ବେଳେ ସେମାନଙ୍କୁ ବୋଉର କାର୍ଯ୍ୟରେ ସାମିଲ ହେବାକୁ କହିଥିଲି । ଘର ଦୁଆର ବନ୍ଧ, କାନ୍ଥ, କୋଣିବିଛା, ପିଣ୍ଡା ଆଦିରେ ଗେରୁ ଲିପାପୋଛା ସାରି, ଅରୁଆ ଚାଉଳ ପିଠଉରେ ଧାନ ମେଞ୍ଚା, ବେଙ୍ଗେଇ, ଶଙ୍ଖ, ଚକ୍ର, ଗଦା, ପଦ୍ମ, ଲକ୍ଷ୍ମୀ ପାଦ ଆଦି ବିଭିନ୍ନ ଗୁରୁବାର ଛୁଟି ପକାଇବାରେ ସେମାନଙ୍କୁ ପ୍ରଥମେ ସାମିଲ କରିଥିଲି ।
ଗମ୍ଭୀର ବଖରାରେ ଖାଦ୍ୟଶସ୍ୟ ରଖାଯାଇଥିବା ବାଉଁଶ ବେତର ଲୁଦର, ପୁଡୁଗ, ନଉତି ତଥା କାଠ ବାଉଁଶ ଆଦିରେ ତିଆରି ଅଡ଼ା, ବୁଡ଼ା ଓ ସୁଲା ଆଦିର ସଫାସୁତରା ସାରି ସେଥିରେ ଗେରୁ ଲିପି ଝୋଟି ଦେଇ ଖରାରେ ସୁଖାଇବା କାମରେ ପିଲାମାନଙ୍କୁ ଲଗାଇ ଦେଇଥିଲି ।
କିଛି ପିଲାଙ୍କୁ ପିଠା ତିଆରି ପାଇଁ ଢେଙ୍କି ତଥା ହେମଦସ୍ତାରେ ଚାଉଳ ଗୁଣ୍ଡ କରିବା କାମରେ ନିୟୋଜିତ କରିଥିବାବେଳେ ଅନ୍ୟମାନଙ୍କୁ ପଥରର ପେଷଣା, ଘୁରୁଣା, ଶିଳ ଆଦିରେ ବିରି, ମୁଗ ଆଦି ବାଟିବା ଓ ଗୁଣ୍ଡ କରିବା କାମରେ ଲଗାଇ ଥିଲି । ସେମାନ ପୂର୍ବରୁ ସେସବୁ ରୋଷେଇ ସରଞ୍ଜାମ ଦୂରରୁ ଦେଖିଥିଲେ ହେଁ ପ୍ରଥମଥର ପାଇଁ ଚାଉଳ ମୁଗ, ବିରି ଆଦି ପେଷିବା ପରେ ବାଉଁଶ ପାତି କୁଲାରେ ପାଛୁଡିବା ତଥା ଚଲୁଣିରେ ଚଲାଇବାରେ ଯେଉଁ ଅଭ୍ୟାସ ଦରକାର ତାହା ଶିଖିବାରେ ବହୁତ ଖୁସି ଅନୁଭବ କରିଥିବା ସେମାନଙ୍କର ମୁଖମଣ୍ଡଳରୁ ବାରି ହେଉଥାଏ ।
ଇଷାଣ ତଥା ବଡ଼ବଡ଼ିଆଙ୍କ ଶାଳକୁ ଲିପାପୋଛା ସାରି ଝୋଟି, ମୁରୁଜ ଦେବା କାର୍ଯ୍ୟ ସାରିବା ପରେ ପଖାଳ ହାଣ୍ଡି, କ୍ଷୀର ଦହି ସିକା, ଆମ୍ୱୁଲ, ତେନ୍ତୁଳି, ଘିଅ, ତେଲ, ଗୁଡ଼, ଆଚାର, ବଡ଼ି, ପାପଡ଼ ହାଣ୍ଡି ତଥା ମସଲା ପେଡ଼ି ଆଦିର ସଫାସୁତରା ରଖିବା କାମ ସହିତ ଆଟୁରୁ ସମସ୍ତ ପିତଳ କଂସାର ତୁଲ ସିନ୍ଦୁକକୁ ତଳକୁ ଓହ୍ଲାଇ ସେଗୁଡ଼ିକୁ ତେନ୍ତୁଳିରେ ମଜାମଜି ସାରି ଲକ୍ଷ୍ମୀ ପୂଜାରେ ବ୍ୟବହାର ନିମନ୍ତେ ସଜାଡି ରଖିବାର କାର୍ଯ୍ୟରେ ସମସ୍ତେ ଭାଗ ନେଇଥିଲେ ।
ଏକ ପକ୍ଷରେ ସବୁ କାର୍ଯ୍ୟଗୁଡ଼ିକୁ ବୋଉ ତତ୍ତ୍ଵାବଧାନରେ ପିଲାମାନେ ହସଖୁସିରେ ଉପଭୋଗ କରୁଥିବା ସ୍ଥଳେ ଅନ୍ୟ ପକ୍ଷରେ ସେହି ମୁହୁର୍ତ୍ତଗୁଡ଼ିକର ସ୍ମୃତି ଭିଡ଼ିଓ ହୋଇ ମୋବାଇଲରେ ସଂରକ୍ଷିତ ରହୁଥାଏ ।
ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ଚୁଲିକୁ ଗୋବରରେ ଲିପା ପୋଛା ସାରି ମାଟି ହାଣ୍ଡିକୁ ପାଉଁଶ ଲେପ ଦେଇ, କାଠ ଚୁଲିକୁ ଫୁଙ୍କନଳାରେ ଫୁଙ୍କିଫୁଙ୍କି ଜାଳେଣି କରିବା ସହିତ ଗୁରୁବାର ପୂଜାର ବିଶେଷ ବ୍ୟଞ୍ଜନରେ ନଡ଼ାପାଳରେ ତିଆରି ମଣ୍ଡା, ହଳଦି ପତ୍ରରେ ତିଆରି ଏଣ୍ଡୁରି ପିଠା, ଚକୁଳି, ଖିରି, ଖେଚୁଡ଼ି, କାକରା, ମୁଦୁକ, ଠୁଲୁକା, ଆଡ଼ିଷା, ବରା, ପୋଡ଼ ଏବଂ ଚନ୍ଦ୍ରକାନ୍ତି ଆଦି ସୁସ୍ଵାଦୁ ବ୍ୟଞ୍ଜନର ପ୍ରସ୍ତୁତି ପ୍ରଣାଳିରେ ସମସ୍ତେ ଭାଗ ନେଇ ବହୁତ ମଜ୍ଜା ଉଠାଉଥିଲେ ।
ଲକ୍ଷ୍ମୀ ମାତାଙ୍କ ପିତଳ ମୂର୍ତ୍ତିକୁ ପଞ୍ଚାମୃତରେ ଧୋଇ, ଗୁଆ, କୋଉଡ଼ି, ଶଙ୍ଖ, ସାମୁକା ଆଦିକୁ ଚନ୍ଦନ ସିନ୍ଦୁରର ପ୍ରଲେପ ଦେଇ ଅଡ଼ାଗଉଣିରେ ନୂଆ ଅରୁଆ ଚାଉଳ ଭରି, ଅଁଳା, ଆମ୍ୱ ପତ୍ର, ଗେଣ୍ଡୁ ଫୁଲ, ଦୁବ ଆଦିରେ ମାଆଙ୍କ ଖଟୁଳିକୁ ସଜାଇ ଧୂପ, ଦୀପ ତଥା ଆଳତି କରି ପ୍ରଥମେ ବାଳ ଭୁଗ ଏବଂ ଶେଷରେ ଶଙ୍କୁଡି ଭୁଗରେ ପୂଜା ଅର୍ଚ୍ଚନା କରାଯାଇ ମାଣବସା ପୁରାଣ ପଢିଶୁଣିବାର ପ୍ରତିଟି ମୁହୁର୍ତ୍ତକୁ ମୋବାଇଲ କେମାରାରେ ଭିଡ଼ିଓ ସୁଟିଂ କରାଯାଇଥିଲା ।
ଏହାରି ଭିତରେ ଆମ ପୁତୁରା-ଝିଆରୀ ତଥା ଭଣଜା-ଭାଣିଜୀଙ୍କ ମଧ୍ୟରୁ କିଏ କେତେବେଳେ ମେତେ ତାଙ୍କର ୟୁଟ୍ୟବୁ ଚେନେଲର କାଷ୍ଟିଙ୍ଗ ପାଇଁ ତ କିଏ ତାଙ୍କ ଫ୍ରାଙ୍କ ସୁଟିଂ କରିବାକୁ ଡ଼ାକି ନେଉଥାନ୍ତି । ଉକ୍ତ ଘଟଣା ବହୁଳ ମଧ୍ୟରେ କିଛିଟା ସ୍ମୃତି ମୋର ଚିରଦିନ ପାଇଁ ଅଭୂଲା ହୋଇ ରହିବ ।
ଯେପରିକି, ମୋର ହଳେ ଭଣଜା-ଭାଣିଜୀ ତାଙ୍କର ରୋଷେଇ ୟୁଟ୍ୟବୁ ଚ୍ୟାନେଲ ପାଇଁ ‘କାଠ ଚୁଲିରେ ମାଟି ହାଣ୍ଡିର ମଟନ ବିରିଆନୀ’ ରେସିପି ସୁଟିଂ କରିବା ସକାଶେ ଆମ ଘର ବାଡ଼ି ସେପଟେ ଦଣ୍ଡାସି ସାହିରେ ଚରୁଥିବା ଛେଳିକୁ ପତ୍ର ଦେଖାଇ ତାକୁ ଆଉଁଷା-ଆଣ୍ଡୁଳା କରି ପାଖକୁ ଆଣି, ଖତଗଦା ସେପାଖେ କେଳାକେଳି ସାରି, ହଣ୍ଡାଏ ହେବ ବିରିଆନୀ ରାନ୍ଧି ଆମ ସମସ୍ତଙ୍କୁ ଭୋଜିଭାତ ରକମ ଖାଇବା ପରଷିଥିଲେ । ହେଲେ ରାତି ଅଧରେ ଦଣ୍ଡାସି ସାହି ଲୋକ ସଦଳବଳେ ଛେଳିକୁ ଖୋଜାଖୋଜି ସାରି ଯେତେବେଳ ଆସି ଆମ କବାଟ ବାଡ଼େଇଥିଲେ, ସେମାନଙ୍କଠାରୁ ମୁଁ ସମସ୍ତ ବିଷୟ ଶୁଣି ସେଦିନ ମଟନ ବିରିଆନୀର ଫ୍ରାଙ୍କ ବିଷୟଟିକୁ ଠିକ୍ ବୁଝିପାରି ଥିଲି । ତେଣୁ ସେମାନଙ୍କୁ ଆମ ଘର ସାମନାରେ ଆଉ ପାଟିତୁଣ୍ଡ କରିବାକୁ ନଦେଇ ଦଣ୍ଡାସି ନନାକୁ ଘର ଭିତରୁ ଡାକି ଗମ୍ଭୀର ଘର ବିରୁଆରୁ ଖଡ଼ଖଡ଼ିଆ ନୂଆଁ ଦୁଇ ହାଜର ଟଙ୍କାର ନୋଟ ଟିଏ ବାହାର କରି ତାରି ଅଣ୍ଟିରେ ଗୁଞ୍ଜି ଦେଇଥିଲି । ସେ ମୋ ମୁହଁକୁ ଆଉ ସେହି ନୋଟଟିକୁ ଅନେଇ ଆପେ ଆପେ ସବୁ କଥା ବୁଝି ଦେଇଥିଲା, ମୋତେ ଭଲ କରି କବାଟ କିଳି ଦେଇ ଶୋଇଯିବା ପାଇଁ କହି, ଦୁଆର ବାହାରକୁ ଯାଇ ‘ସକାଳେ ବିଲୁଆ ନନା ଗାଁ ମୁଣ୍ଡାଳିକୁ ଆସିଥିଲା ଆଉ ସେ ଆମ ଛେଳିକୁ ଘୋସାଡ଼ି ନେବାର ସନିଆ ନନା ନିଜ ଆଖିରେ ଦେଖିଛି ବୋଲି କହୁଛି, ଆମେ ତାକୁ ଆଉ ଖୋଜିଲେ କିଛି ଲାଭ ନାହିଁ ଚାଲ ଏଥର ସାହିକୁ ପଳାଇ ଯିବା’ କହି ତାର ସାହି ପଲଟନକୁ ନେଇ ଫେରିଯାଇଥିଲା ।
ଏତ ଗଲା ଗୋଟିଏ ଦିନର ଘଟଣା ଅନ୍ୟ ଏକ ଦିନ ଦିପହରରେ ମୋର ପୁତୁରାମାନଙ୍କ ମଧ୍ୟରୁ ଜଣେ ଆଉ ଭାଣିଜୀମାନଙ୍କ ଭିତରୁ ଅନ୍ୟ ଜଣକ ଦିହେ କାହାକୁ କିଛି ନକହି ଆଟୁକୁ ଲିଶୁଣୀ ପକାଇ ସାଙ୍ଗରେ ମହମ ବତୀ, ଧଳା ଧୋତି, ମାସ୍କ, ଟ୍ରଚ ଲାଇଟ ଏବଂ ମୋବାଇ ଆଦି ଧରି ଧାନ ଆଟୁ ଭିତରେ ଘୋଷ୍ଟ ଥ୍ରୀଲରର ଫ୍ରାଙ୍କ ସୁଟିଂ କରୁଥିଲେ । ହଠାତ୍ ସେମାନଙ୍କ ପାଖରେ ଗୋଟିଏ ମୁଷା ଆସି ପହଞ୍ଚି ଥିଲା, ତାକୁ ଦେଖି ସେମାନେ ଏଭଳି ଭୟଭୀତ ହୋଇ ଚିତ୍କାର କରିଥିଲେ ଯେ ଏକାଥରେ ସାହି ପଡୋଶିର ଦଶବାର ଘରର ଲୋକ ଆମ ଘରେ ଆସି ରୁଣ୍ଡ । ସେମାନଙ୍କୁ ଆଟୁରୁ ତଳକୁ ଓହ୍ଲାଇବା ପରେ ତାଙ୍କ ପାଟିରୁ ସମସ୍ତ ବିଷୟ ଶୁଣି ସାରି ଯେ ଯାହାର ଘରକୁ ଯାଇଥିଲେ । ଏହା ପରେ ଦୁହେଁ ପିଲଙ୍କର ଦେହରେ ଦୁଇ ଦିନ ଯାଏଁ ୧୦୪ ଲେଖା ଜ୍ଵର ରହିବାରୁ ବୋଉ ସେମାନଙ୍କୁ ଠାକୁରାଣୀ ମାଁଙ୍କ ମନ୍ଦିରକୁ ନେଇ ଭଣ୍ଡାରୀ ନନା ହାତରେ ଝଡ଼ାଫୁଙ୍କା ସାରି ଆଣିବାରୁ ଜ୍ୱର ଛାଡ଼ିଥିଲା ।
ଏହି ଭଳିଆ ଅନେକ ଛୋଟମୋଟିଆ ଘଟଣାମାନ ଆରି ଭିତରେ ଘଟିଚାଲିଥାଏ । ଆଉ ଆଜି ତ ଦେଖିଲୁ ଏହି ମୋର ସବୁଠାରୁ ସାନ ଭଣଜାର କାର ନାମା, ଆମ ଓଡ଼ିଶାର ପୁରୀ ମନ୍ଦିର ବଡଦାଣ୍ଡକୁ ଯାଇ ସେଠାକୁ ଯାଇଥିବା ଶ୍ରଦ୍ଧାଳୁଙ୍କ ସହିତ ଏଭଳିଆ ଫ୍ରାଙ୍କ କରିବାର ଆଶା ବାନ୍ଧି ବସିଥିଲା । ତାର ସେହି ଅଭିପ୍ରାୟ ଶୁଣି ଭାବିଲି, ନାହିଁ ଏ ଅବୁଝା ପିଲା ପକା କେବେ ସେପରି ଯଦି କରେ ନିଶ୍ଚୟ ଲୋକମାନଙ୍କଠାରୁ ନିସ୍ତୁକ ମାଡ଼ ଖାଇବ, ତେଣୁ ଆଗରୁ ସେହି ଫ୍ରାଙ୍କର ପରିଣାମରେ ପରିସ୍ଥିତିକୁ କିଭଳି ସମ୍ଭାଳିବାକୁ ହୁଏ ତାର ଝଲକ ଦେଖାଇବା ପାଇଁ ତାରି ସହିତ ମୁଁ ସାମିଲ ହୋଇଥିଲି । ଭାବୁଛି ଏହାପରେ ଆଉ କେଉଁ ଲୋକ ସହ ଏଭଳିଆ ଫ୍ରାଙ୍କ କରିବ ନାହିଁ ।“
ସନିଆଠାରୁ ସମସ୍ତ କଥା ଶୁଣିବା ପରେ ଶୁକୁଟା ନନା ପଚାରିଥିଲା “କାହିଁ ତୁ ଏକଲା ଅଙ୍ଗେ ଲିଭେଇଥିବା ବଲିକା ବକରା କିସାଟା ଶୁଣାଇଲୁ ନାହିଁ ତ ?” “ହଁ.. ହଁ କହୁଛି... ତେଲଙ୍ଗା ସାହିକୁ ଆହୁରି ଅନେକ ବାଟ ଅଛି, ସେଠାରେ ପହଞ୍ଚିଲା ବେଳକୁ ମୋର କଥା ସରିଥିବ, ତୁ ତୋର ବାଟରେ ଯିବୁ ମୁଁ ମୋ ବାଟରେ ।“ ଏଭଳି କହି ସନିଆ ତାର ନିଜର କାହାଣୀ ଗପିବା ଆରମ୍ଭ କଲା ।
ତୁ’ତ ମୋତେ ପିଲାଟି ଦିନରୁ ଜାଣିଛୁ, ମୁଁ କେଉଁ ଭଳିଆ ପିଲା, ଗାଁର କୁସ୍ତିଆଖାଡ଼ାରେ ଥିବି ନହେଲେ ଯାଇ ଘରେ, ଏହା ଛଡ଼ା ମୋର କେଉଁ ଆଡ଼େ ଯିବା ଆସିବାର ନାହିଁ । ଗାଁରେ ମୋର ସାଙ୍ଗମୈତ୍ର କହିଲେ ପ୍ରଥମେ କରି ତୋରି ନାଁ ଆସିବ ତାପରେ ଯାଇ ତୋରି ଭଳିଆ ଆଉ ଛଅ-ସାତ ଜଣଙ୍କର । ମୁଁ କେବେ ସାହି ମାଇପିଙ୍କ ସହ ଗପସପ କରେନାହିଁ । ହଁ ଆମ ଆଗ ଦୁଆର ସାହିରେ ଜାତିର ଏକ ସିଙ୍ଘାଣି ନାକି ଝିଅଟିଏ ବିବାହ ଯୋଗ୍ୟ ହୋଇ ରହିଥାଏ । ବାଟରେ ଘାଟରେ ଦେଖିବା କ୍ଷଣୀ ମୋତେ ସେ ଖନ୍ତେଇ ହେବାର ଦେଖି ପ୍ରଥମେ ପ୍ରଥମେ ସେଗୁଡାକ ସବୁ କିଛି ଭଲ ଲାଗିନଥିଲା । ହେଲେ ସତ କହୁଛିରେ ସୁକୁଟା ନନା, ତମେମାନେ ଯେତେବେଳ ବିଭାହୋଇ ପିଲାପୁଚିକା ଧରି ଘରବାର ଆରମ୍ଭ କଲ, ସେଗୁଡ଼ିକ ଦେଖି ମୋତେ ଆଉ ଏକଲା ହୋଇ ରହିବାକୁ ମନ ମାନିଲା ନାହିଁ । ହେଲେ ସେତେବେଳକୁ ମୋର ଚୁଳ ସବୁ ପାଚିଲା ହେବାକୁ ଆରମ୍ଭ ହେଲାଣି, ବୋଉ ମୋ ପାଇଁ କାହାକୁ ମୁହଁ ଖୋଲି କନିଆ ମାଗିବାନି ବୋଲି ରୋକଠକ୍ ମୋତେ ଶୁଣାଇ ଦେଲାଣି ହେଲେ ସହି ସିଙ୍ଘାଣି ନାକି ଝିଅଟି ଛଡ଼ା ମୋରି ଆଡ଼େ କେଉଁ ଝିଅ ତ ଆଡ଼ ଆଖିରେ ବି ଅନାନ୍ତି ନାହିଁ । ତେଣୁ ସୁଯୋଗ ଉଣ୍ଡି ଯେଉଁ ଦିନ ମୁଁ’ବି ତାରି ଆଡେ ଚାହି ଖନ୍ତେଇ ହେବି ବୋଲି ମନ ବଳେଇଥିଲି, ଦୁର୍ଭାଗ୍ୟକୁ ସେହି ଦିନ ହିଁ ମୋ ବୋଉ ଆଗରେ ସେସବୁ ଧରା ପଡ଼ିଯାଇଥିଲା । ଏହା ପରେ ତାର ପରିବାର ଲୋକଙ୍କ ସହିତ ମୋ ବୋଉ ବହୁତ ବୁଝାସୁଝା ସାରି ଆମ ଦହିକୁ ବହୁ କଷ୍ଟରେ ନେଇ ବିବାହ ମଣ୍ଡପରେ ବସାଇପାରିଥିଲା ।
ସେତେବେଳକୁ ଏପ୍ରିଲ ମାସର ଗ୍ରୀଷ୍ମ ଋତୁ ହେତୁ ବଖରା ଭିତରଟା ଭାରି ଗରମ ହେଉଥାଏ ତେଣୁ କବାଟ, ଖିଟିକି ଖୋଲିବା ପାଇଁ ମୁଁ ବିଛଣାରୁ ଉଠିବା କ୍ଷଣୀ, ସେହି ସିଙ୍ଘାଣି ନାକି ଝିଅଟା ଏପ୍ରେଲ ଫୁଲ ବୋଲି କହି ଯାହା ସବୁ ହୀନସ୍ତା କଲା । ତା ପର ସବୁ କଥା ସୁକୁଟା ନନାରେ ତୁ’ତ ସବୁ ଜାଣୁ । ହଇଟି ତୋର ଜେଜେମାନର ଗାଁ ଆସିଗଲା । ସାଇକେଲରୁ ଓହ୍ଲାଇପଡ଼ ମୁଁ ଗାଁକୁ ଫେରି ଚାଲିଲି ।

